“ଈଶ୍ୱରଙ୍କ ପବିତ୍ର ଇଚ୍ଛାର ସ୍ୱର୍ଗରୁ ପ୍ରକଟିତ ହୋଇଥିବା ଧର୍ମର ଉଦ୍ଦେଶ୍ୟ ହେଉଛି ବିଶ୍ୱର ଲୋକମାନଙ୍କ ମଧ୍ୟରେ ଏକତା ଓ ସାମଞ୍ଜସ୍ୟ ସ୍ଥାପନା କରିବା; ଏହାକୁ ମତଭେଦ ଓ କଳହର କାରଣ ହେବାକୁ ଦିଅ ନାହିଁ ।”


ବାହ’ଓଲ୍ଲହ

ଭାରତୀୟ ଉପ-ମହାଦ୍ୱୀପ ବାହ’ଈ ଇତିହାସ ସହିତ ଧର୍ମର ଆରମ୍ଭରୁ ହିଁ ଆନ୍ତରିକ ଭାବରେ ଯୋଡି ହୋଇରହିଅଛି । ସୟଦ-ଇ-ହୀନ୍ଦି ଏହି ଉପ-ମହାଦ୍ୱୀପର ପ୍ରଥମ ବ୍ୟକ୍ତି ଥିଲେ ଯେ ମହାତ୍ମା ବାବ୍ (ବାହ’ଓଲ୍ଲହଙ୍କ ଅଗ୍ରଦୂତ)ଙ୍କ ଅନୁଗାମୀ ସାଜିଥିଲେ । ସେଠାରେ ତାଙ୍କ ଭଳି ଆହୁରି ଅନେକ ବ୍ୟକ୍ତି ଭାରତର ଥିଲେ ଯେଉଁମାନେ ବାବ୍‌ଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ ତାଙ୍କର ଦିବ୍ୟ ପଦବୀକୁ ଚିହ୍ନିପାରିଥିଲେ । ଦିବ୍ୟାତ୍ମା ବାବ୍‌ଙ୍କ ପ୍ରଭୁତ୍ୱ ସମୟରେ, ତାଙ୍କ ଶିକ୍ଷାବଳୀର ପ୍ରକାଶ ବମ୍ବେ (ବର୍ତ୍ତମାନ ମୁମ୍ବାଇ), ହାଇଦ୍ରାବାଦ, ଯଉନପୁର, ରାମପୁର, ପଲମପୁର ଭଳି ସହର ଓ ଗ୍ରାମ ଗୁଡିକ ପର୍ଯ୍ୟନ୍ତ ପହଞ୍ଚିଥିଲା ।

ବାହ’ଓଲ୍ଲହଙ୍କ ଶିକ୍ଷାବଳୀକୁ ୧୮୭୨ ମସିହାରେ ଭାରତ ମଧ୍ୟକୁ ଜମାଲ୍ ଏଫେଣ୍ଡି ନାମକ ଜଣେ ପାରସ୍ୟର ଉଚ୍ଚବଂଶର ସଦସ୍ୟଙ୍କ ଦ୍ୱାରା ଅଣାଯାଇଥିଲା, ଯେ କି ସମଗ୍ର ଉପ-ମହାଦ୍ୱୀପ ପରିଭ୍ରମଣ କରିଥିଲେ । ତାଙ୍କର ଯାତ୍ରା ଉତ୍ତରରେ ରାମପୁର ଓ ଲକ୍ଷନେ୍। ଠାରୁ, ପୂର୍ବରେ କଲିକତା ଓ ରଙ୍ଗୁନ୍ ପର୍ଯ୍ୟନ୍ତ ଏବଂ ପଶ୍ଚିମରେ ବରୋଦା ଓ ମୁମ୍ବାଇ ଠାରୁ, ଶେଷରେ ଦକ୍ଷିଣରେ ଚେନ୍ନାଇ ଓ କଲମ୍ବୋ ପର୍ଯ୍ୟନ୍ତ ଥିଲା । ସେ ବାହ’ଓଲ୍ଲହଙ୍କ ଏକତା ଓ ମୈତ୍ରୀପୁର୍ଣ୍ଣ ଶିକ୍ଷାବଳୀଗୁଡିକୁ ସେହି ସମସ୍ତଙ୍କୁ ଯାହାକୁ ସାକ୍ଷାତ କରୁଥିଲେ, ନୱାବ, ରାଜକୁମାର ଓ ଔପନିବେଶକ, ପ୍ରଶାସକ ମାନଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ପରିଚିତ କରାଇଥିଲେ । ପ୍ରଚଳିତ ସାମାଜିକ ରୀତି ନୀତି ବୀପରିତ ଯାଇ, ସେ ସମସ୍ତ ସମୁଦାୟ ଓ ପୃଷ୍ଠଭୂମି – ସାମାଜିକ ମର୍ଯ୍ୟାଦା, ଜାତି, ତଥା ଆଧ୍ୟାତ୍ମିକ ବିଶ୍ୱାସର ଲୋକମାନଙ୍କ ସହିତ ମିଶିଗଲେ ।

ଶତାବ୍ଦୀର ସମାପ୍ତି ବେଳକୁ, ବମ୍ବେ, ଦିଲ୍ଲୀ, ପୁନେ ଓ ହାଇଦ୍ରାବାଦରେ ଛୋଟ ଛୋଟ ବାହ’ଈ ବସତିର ସ୍ଥାପନା ହୋଇସାରିଥିଲା । ୧୯୨୩ ମସିହାରେ ଏହି ଉପ-ମହାଦ୍ୱୀପର ବାହ’ଈ ମାନଙ୍କୁ ଅନବରତ ଗତିରେ ବଢୁଥିବା ବାହ’ଈ ସମୁଦାୟର କାର୍ଯ୍ୟକଳାପ ଗୁଡିକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଏକ ନିର୍ବାଚିତ ରାଷ୍ଟ୍ରୀୟ ଅନୁଷ୍ଠାନ ପ୍ରାପ୍ତ ହେଲା ।

ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧି ଗୁଡିକରେ ଭାରତର ବାହ’ଈ ସମୁଦାୟ ଯେପରି ଭାବରେ ନିଜର ଆକାର ଏବଂ ସାମର୍ଥ୍ୟ ବୃଦ୍ଧି କରାଇଲା, ବାହ’ଓଲ୍ଲହଙ୍କ ଶିକ୍ଷାବଳୀ ଗୁଡିକ ଧିରେ ଧିରେ ସେହି ସମୟର ନେତୃବର୍ଗ ଓ ବୁଦ୍ଧିଜୀବିମାନଙ୍କ ଧ୍ୟାନ ଆକର୍ଷିତ କରିବା ଆରମ୍ଭ କରିଲା । ଅନେକ ବାହ’ଈ ମାନଙ୍କ ସହିତ କଥା ହେବା ପରେ, ମହାତ୍ମା ଗାନ୍ଧୀ ଘୋଷଣା କଲେ: “ବାହ’ଈ ଧର୍ମ ସମଗ୍ର ମାନବଜାତି ନିମନ୍ତେ ଏକ ସାନ୍ତ୍ୱନା ଅଟେ” । ଠିକ ସେହିପରି, ରବିନ୍ଦ୍ରନାଥ ଟାଗୋର୍ ଯେ କି ଅନେକ ପ୍ରମୁଖ ବାହ’ଈ ମାନଙ୍କୁ ସାକ୍ଷାତ କରିବା ପରେ ଉଲ୍ଲେଖ କରିଛନ୍ତି ଯେ, “ଏସିଆ ମହାଦେଶରେ ବାହ’ଓଲ୍ଲହ ହେଉଛନ୍ତି ସଦ୍ୟନୁତ୍ତନ ଅବତାର,” ଯାହାଙ୍କ “ବାର୍ତ୍ତା ଗୁଡିକ ସଭ୍ୟତାର ପ୍ରଗତି ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ।”

୧୯୬୦ ଏବଂ ୭୦ ମସିହାରେ, ବାହ’ଓଲ୍ଲହଙ୍କ ବାର୍ତ୍ତାଗୁଡିକୁ ଭାରତୀୟ ଜନସାଧାରଣ ବିଶେଷତଃ ଗ୍ରାମୀଣ ଲୋକମାନଙ୍କ ସହିତ ସହଭାଗୀ କରାଗଲା । ଯେଉଁ ଲୋକମାନେ ଧର୍ମର ଶିକ୍ଷାବଳୀ ସଂସ୍ପର୍ଶରେ ଆସୁଥିଲେ, ସେମାନଙ୍କ ହୃଦୟରେ ଅଧିକାଂଶତଃ ସେହି ଶିକ୍ଷାବଳୀର ମାନ୍ୟତା ସ୍ୱତଃସ୍ଫୁର୍ତ୍ତ ଥିଲା; ଏବଂ ଶହସ୍ର ଭାରତୀୟ ମାନେ ସେହି ଶିକ୍ଷାବଳୀ ଗୁଡିକ ଭିତରେ ନିଜର ଦୀର୍ଘ ଆକାଂକ୍ଷିତ ବସୁଧୈବ କୁଟୁମ୍ବକମ୍ ପରିପୂରଣ ଦେଖିପାରିଥିଲେ । ସେମାନଙ୍କୁ ଆଧୁନିକ ସମାଜର ଆବଶ୍ୟକତା ଗୁଡିକ ସହିତ ସମନ୍ୱିତ ଏହି ଆଦର୍ଶ ଗୁଡିକୁ ପ୍ରୟୋଗ କରିବା ନିମନ୍ତେ ଏକ ନୂତନ ପ୍ରେରଣା ପ୍ରାପ୍ତ ହେଲା ।

ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ଶିକ୍ଷାଗୁଡିକୁ ନିଜ ସମାଜ ସହିତ ସମ୍ବନ୍ଧିତ ସମସ୍ୟା ଗୁଡିକର ସମାଧାନର ପ୍ରୟୋଗ ନିମନ୍ତେ ଚେଷ୍ଟା କରିବା ଆରମ୍ଭ କରିଲେ । ଶହ ଶହ ସଂଖ୍ୟାରେ ଗଣତନ୍ତ୍ର ପଦ୍ଧତି ଦ୍ୱାରା ନିର୍ବାଚିତ ସ୍ଥାନୀୟ ବାହ’ଈ ପ୍ରଶାସନିକ ଅନୁଷ୍ଠାନ ଗୁଡିକ ଭାରତର ସମୁଦାୟ ଗୁଡିକ ଦ୍ୱାରା ନିର୍ବାଚିତ ହେଲେ ଏବଂ ସେମାନେ ନିଜ ନିଜର ବସତିର ଆବଶ୍ୟକତା ଗୁଡିକୁ ପୂରଣ କରିବା ଆରମ୍ଭ କରିଲେ । ଶିଶୁ ମାନଙ୍କ ନୈତିକ ଶିକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରାଗଲା ଏବଂ ଭାରତର ଗ୍ରାମୀଣ କ୍ଷେତ୍ର ଗୁଡିକରେ ଅନେକ ସଂଖ୍ୟାରେ ଶୈକ୍ଷଣିକ ପ୍ରୟାସ ଗୁଡିକ ସୃଷ୍ଟି ହେଲା । ୧୯୮୦ ମସିହା ସୁଦ୍ଧା, ଶହ ଶହ ଗ୍ରାମୀଣ ଟ୍ୟୁଟୋରିଆଲ୍, ବିଦ୍ୟାଳୟ ଗୁଡିକ ଓ ବାହ’ଈ ଶିକ୍ଷାଦ୍ୱରା ପ୍ରେରିତ ବଡ ବଡ ଶୈକ୍ଷଣିକ ବିଦ୍ୟାଳୟ ଗୁଡିକ ତଥା କୃଷି, ବ୍ୟବସାୟ ଓ ଶିକ୍ଷକ ତାଲିମ୍‌, ସ୍ୱାକ୍ଷରତା, ପରିବେଶ ତତ୍ତ୍ୱାବଧାନ, ମହିଳା ସଶକ୍ତିକରଣ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରକଳ୍ପ ଗୁଡିକ ଅସ୍ତିତ୍ୱ ମଧ୍ୟକୁ ଆସିଯାଇଥିଲା ।

ନୂଆ ଦିଲ୍ଲୀ ସ୍ଥିତ ବାହ’ଈ ଉପାସନା ମନ୍ଦିରର ନିର୍ମାଣ ସମ୍ଭବତଃ ସର୍ବାଧିକ ବ୍ୟାପକଭାବରେ ପରିଚିତ ରୁପାନ୍ତରିକରଣର ପ୍ରତୀକ ପ୍ରଦାନ କଲା ଯାହାକୁ ବାହ’ଓଲ୍ଲହ ମନୁଷ୍ୟର ହୃଦୟ ଓ ସମାଜ ନିମନ୍ତେ ପରିକଳ୍ପନା କରିଛନ୍ତି । ପଦ୍ମ-ଆକୃତିର ଏହି ରୁପରେଖା ଏହି ସତ୍ୟତାକୁ ପ୍ରତିବିମ୍ବିତ କରିଥାଏ ଯେ ଏପରିକି ସର୍ବାଧିକ ସଙ୍କଟପୂର୍ଣ୍ଣ ସ୍ଥିତିରୁ ମଧ୍ୟ ଏକ ନୂତ୍ତନ ଓ ବିକଶିତ ବିଶ୍ୱ ପ୍ରସ୍ଫୁଟିତ ହୋଇପାରିବ । ଏହା ମଧ୍ୟ ଏକତାର ପ୍ରତୀକ ରୁପରେ ସେବା ପ୍ରଦାନ କରିଥାଏ । ୧୯୮୬ ମସିହାରେ, ଏହାର ଉଦଘାଟନ ହେବା ଠାରୁ ପ୍ରତ୍ୟେକ ଦିନ ବିଭିନ୍ନ ଧର୍ମ, ଜାତି ଓ ରାଷ୍ଟ୍ରୀୟ ପୃଷ୍ଠଭୂମିରୁ ପାଖାପାଖି ୧୦,୦୦୦ ଲୋକ ଏହାର ଛତ୍ରଛାୟା ତଳେ ଗୋଟିଏ ସୃଷ୍ଟିକର୍ତ୍ତାଙ୍କୁ ନୀରବ ଭାବରେ ଉପାସନା କରିବା ନିମନ୍ତେ ଏକତ୍ରୀତ ହୁଅନ୍ତି ।

ଯେହେତୁ ଭାରତରେ ବାହ’ଈ ବସତି ଆକାର ଓ ସାମର୍ଥ୍ୟ ଅନୁଯାୟୀ ବଢୁଥିଲା, ତେଣୁ ଏହା ସାମାଜିକ ଜୀବନରେ ମଧ୍ୟ ବର୍ଦ୍ଧିତ ରୁପରେ ଏକ ପ୍ରମୁଖ ଭୁମିକା ତୁଲାଇବା ଆରମ୍ଭ କରିଲା । ବର୍ଦ୍ଧିତ ସଂଖ୍ୟାରେ ରାଷ୍ଟ୍ରୀୟ ଅବସର ଗୁଡିକରେ ସାମ୍ପ୍ରଦାୟିକ ସଦ୍‌ଭାବ, ଲିଙ୍ଗଗତ ସାଦୃଶ୍ୟତା, ଶିକ୍ଷା, ନାରୀ ଓ ପୁରୁଷର ସମାନତା, ଶାସନ ଓ ବିକାଶ ଭଳି ବିଷୟ ମାନଙ୍କ ମଧ୍ୟରେ ଥିବା ବିଚାର ଗୁଡିକୁ ରୁପ ଦେବାରେ ତଥା ଆଗକୁ ନେବାରେ ବାହ’ଈ ମାନଙ୍କ ଯୋଗଦାନ ଅତ୍ୟନ୍ତ ମୁଲ୍ୟବାନ ହୋଇଗଲା ।

ଆଜି, କୋଡିଏ ଲକ୍ଷ୍ୟରୁ ଅଧିକ ସଂଖ୍ୟାରେ ବାହ’ଈମାନେ ଭାରତରେ ଅଛନ୍ତି, ସେମାନେ ନିଜ ଦେଶବାସୀଙ୍କ ସହିତ ମିଶିକରି ଏକତା ଓ ନ୍ୟାୟର ପ୍ରତିନିଧିତ୍ୱ କରୁଥିବା ସମାଜ ଗୁଡିକର ନିର୍ମାଣ ମାଧ୍ୟମରେ ହିଁ ନିଜ ଦେଶର ସେବାରେ ସମର୍ପିତ ଅଟନ୍ତି । ଏପରି ବସତି ଯାହା ସମସ୍ତ ପ୍ରକାରର ଅନ୍ଧବିଶ୍ୱାସରୁ ମୁକ୍ତ , ଯେଉଁଠାରେ ନାରୀ ଓ ପୁରୁଷ ଏକାଠି ହୋଇ କାନ୍ଧରେ କାନ୍ଧ ମିଶାଇ ସମାନ ଭାବରେ ସମାଜର ସେବା କରନ୍ତି, ଯେଉଁଠି ଶିଶୁ ଓ କିଶୋର ଉକ୍ତୃଷ୍ଟ ଭାବରେ ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଶିକ୍ଷା ଗ୍ରହଣ କରନ୍ତି, ଏବଂ ଯେଉଁଠାରେ ସମୁଦାୟର ଭକ୍ତିପୂତ ଜୀବନ ଏହାକୁ ହାନିକାରକ ସାମାଜିକ ବଳ ଗୁଡିକରୁ ରକ୍ଷା କରିଥାଏ ।