“ମୁଁ ଅନ୍ୟମାନଙ୍କ ଭଳି, ଶଯ୍ୟାରେ ନିଦ୍ରିତ ଅବସ୍ଥାରେ ଏକ ମନୁଷ୍ୟ ହିଁ ଥିଲି, ଦେଖ ଯେତେବେଳେ ସର୍ବଗୌରବମୟଙ୍କ ମଳୟ ପବନ ମୋ ଉପରେ ପ୍ରବାହିତ ହେଲା ଏବଂ ସେହିସବୁ ଜ୍ଞାନ ମୋତେ ପ୍ରଦାନ କରାଗଲା । ଏହି ଜ୍ଞାନ ମୋର ନୁହେଁ, ପରନ୍ତୁ ତାଙ୍କ ଠାରୁ ଅବତରିତ ହୋଇଅଛି ଯେ ସର୍ବଶକ୍ତିମାନ ଓ ସର୍ବଜ୍ଞାତା ଅଟନ୍ତି..... ତାଙ୍କର ସର୍ବ-ବାଧ୍ୟକାରୀ ଆହ୍ୱାନ ମୋ ନିକଟରେ ପହଁଞ୍ଚିଅଛି ଏବଂ ସମସ୍ତ ଲୋକମାନଙ୍କ ଗହଣରେ ତାଙ୍କର ସ୍ତୁତି ଗାନ କରିବା ପାଇଁ ମୋତେ ସାହାଯ୍ୟ କରିଅଛି ।”


ବାହ’ଓଲ୍ଲହ

ଉନବିଂଶ ଶତାବ୍ଦୀର ମଧ୍ୟଭାଗ ମାନବଜାତିର ଜୀବନରେ ଏକ ନୂତନ ସଜାଗତାର ସମୟ ଥିଲା । ଗୋଟିଏ ପରେ ଗୋଟିଏ ସମଗ୍ର ୟୁରୋପ୍‌, ଲାଟିନ୍ ଆମେରିକା, ଚାଇନା, ଭାରତ ଓ ଉତ୍ତର ଆମେରିକା ଭଳି ଦେଶରେ ଲୋକମାନେ ଅତ୍ୟାଚାରପୂର୍ଣ୍ଣ ରାଜନୈତିକ ତଥା ସାମାଜିକ ବ୍ୟବସ୍ଥାକୁ ମୁଳୋତ୍ପାଟନ କରିବା ଲାଗି ଜାଗ୍ରତ ହେଲେ । ଏପରି ପ୍ରତୀତ ହେଉଥିଲା, ଯେପରି ମାନବ ସଚେତନତା ନିଷ୍କ୍ରିୟତା ଓ ସମର୍ପଣର ଏକ ଦୀର୍ଘ ରାତ୍ରରୁ ଉଦୟ ହେଉଥିଲା ।

ସର୍ବତ୍ର, ନ୍ୟାୟ, ସମାନତା ଓ ଶ୍ରେଷ୍ଠତା ଭଳି ମାନବ ଅସ୍ତିତ୍ତ୍ୱର ଗୁଣଗୁଡିକ ଉପରେ ଆଧାରିତ ସମାଜର ନୂତନ ପରିକଳ୍ପନା ନିମନ୍ତେ ଏକ ବ୍ୟାକୁଳତା ଥିଲା । ଏକ ମହାନ୍ ଯୁଗର ଉଦୟ ହେବାର ଭାବନା ତତ୍କାଳୀନ କବିମାନଙ୍କ ଶବ୍ଦଗୁଡିକରୁ ଧରା ପଡୁଥିଲା । ଯେପରି ରବୀନ୍ଦ୍ରନାଥ ଟାଗୋର ଲେଖିଥିଲେ, “ବର୍ତ୍ତମାନ ଯୁଗରେ ପ୍ରତ୍ୟେକ ବ୍ୟକ୍ତିମାନଙ୍କ ନିକଟକୁ ଏହି ଆହ୍ୱାନ ଆସିଅଛି ଯେ ସେମାନେ ସ୍ୱୟଂକୁ ତଥା ନିଜର ଚତୁଃପାଶ୍ୱର୍କୁ ଏକ ଏପରି ନୂତନ ଯୁଗର ଉଦୟ ନିମନ୍ତେ ପ୍ରସ୍ତୁତ କରନ୍ତୁ ଯେତେବେଳେ ମନୁଷ୍ୟ ନିଜର ଆତ୍ମାକୁ ସମସ୍ତ ମନୁଷ୍ୟମାନଙ୍କ ଆଧ୍ୟାତ୍ମିକ ଏକତାରେ ଖୋଜିବ ।”

ଏପରି ଏକ ସମୟରେ, ବିଶ୍ୱର ଅଧିକାଂଶ ଲୋକ ଅଜ୍ଞାତ ଥିବା ସମୟରେ, ଈଶ୍ୱରଙ୍କ ଠାରୁ ଏକ ନୂତନ ବାର୍ତ୍ତାର ସୂର୍ଯ୍ୟ ଇରାନ୍ ଦେଶରେ ବାହ’ଓଲ୍ଲହଙ୍କ ବେଶରେ ଆର୍ବିଭାବ ହେଲେ ଯେ କି ମାନବଜାତିର ଏହି ଯୁଗ ନିମନ୍ତେ ଈଶ୍ୱରଙ୍କ ବାର୍ତ୍ତାବହ ଅଟନ୍ତି । ବାହ’ଓଲ୍ଲହ ଶିକ୍ଷା ଦେଲେ ଈଶ୍ୱର ଏକ ଅଟନ୍ତି, ସମସ୍ତ ଧର୍ମଗୁଡିକ ସେହି ଏକମେବ ଈଶ୍ୱରଙ୍କ ଠାରୁ ଆସିଅଛି ଓ ସମସ୍ତ ଧର୍ମ ଗୁଡିକର ସାର ଏକ ସତ୍ୟ ଅଟେ ଏବଂ ବର୍ତ୍ତମାନ ମାନବଜାତି ନିମନ୍ତେ ଏକତାର ସମୟ ଉପନୀତ ହୋଇଅଛି ।

ବାହ’ଓଲ୍ଲହଙ୍କ ଜୀବନ ସେହି ସର୍ବମହାନ୍ ଗୁଣାବଳୀ ଗୁଡିକ ଦ୍ୱାରା ଭୂଷିତ ଥିଲା ଯାହା ଅନ୍ୟ ମହାନ୍ ଧର୍ମର ପ୍ରତିଷ୍ଠାତା ମାନଙ୍କ ଭୌତିକ ଜୀବନକୁ ବିଶିଷ୍ଠତା ପ୍ରଦାନ କରିଥିଲା । ୧୮୧୭ ମସିହାରେ ଇରାନ୍ ଦେଶର ଏକ ଶ୍ରେଷ୍ଠ ବିତ୍ତଶାଳୀ ପରିବାରରେ ଜନ୍ମଗ୍ରହଣ କରି, ନିଜର ବାଲ୍ୟାବସ୍ଥାରୁ ହିଁ ସେ ଅସାଧାରଣ ବିଜ୍ଞତାର ପ୍ରଦର୍ଶନ କରିଥିଲେ ଏବଂ ଦୟାଳୁତା, ଉଦାରତା ଓ ନ୍ୟାୟ ଭଳି ତାଙ୍କର ଗୁଣ ଗୁଡିକ ଅଦ୍ୱିତୀୟ ଥିଲା । ପିତାଙ୍କ ଦେହାନ୍ତ ପରେ, ରାଜ ଦରବାରରେ ତାଙ୍କୁ ଏକ ସର୍ବୋଚ୍ଚ ପଦବୀ ପ୍ରଦାନ କରାଯାଇଥିଲା, ଯାହାକୁ ସେ ନମ୍ରତାର ସହିତ ଅସ୍ୱୀକାର କରିଥିଲେ ଏବଂ ପ୍ରତିବଦଳରେ ସେ ପୀଡିତ, ରୁଗ୍‌ଣ ଓ ଦରିଦ୍ରମାନଙ୍କ ସେବା ନିମନ୍ତେ ନିଜର ସମୟ ଉତ୍ସର୍ଗ କରିବା ପସନ୍ଦ କରିଲେ ।

ଯେତେବେଳେ ଏକ ନୂତନ ଧର୍ମର ପ୍ରବର୍ତ୍ତକ ଭାବରେ, ବାହ’ଓଲ୍ଲହ ଉନବିଂଶ ଶତାବ୍ଦୀର ମଧ୍ୟବର୍ତ୍ତୀ ସମୟରେ ନିଜ ଉଦ୍ଦେଶ୍ୟର ଉଦଘୋଷଣା କରିଲେ, ଆଧୁନିକତାର ପରିକଳ୍ପନାକୁ ଅନାବୃତ୍ତ କରିଥିବା ତାଙ୍କର ଶିକ୍ଷାବଳୀ କ୍ରାନ୍ତିକାରୀ ଥିଲା । ମାନବଜାତିର ଏକତା ଉପନୀତ ହେବା ଅନୁଭୁତ ହେବା- ତାଙ୍କର ଏହି କେନ୍ଦ୍ରୀୟ ସିଦ୍ଧାନ୍ତ ଅନେକ ଗୁଡିଏ ସାମାଜିକ ଶିକ୍ଷାବଳୀ ଯଥା ନାରୀ ପୁରୁଷର ସମାନତା, ଧର୍ମ ଓ ବିଜ୍ଞାନ ମଧ୍ୟରେ ସମନ୍ୱୟ, ସତ୍ୟର ସ୍ୱାଧୀନ ଅନୁସନ୍ଧାନର ଆବଶ୍ୟକତା, ପୁରୋହିତ ପ୍ରଥାର ଉଚ୍ଛେଦ, ସମସ୍ତ ପ୍ରକାରର ଅନ୍ଧବିଶ୍ୱାସର ତ୍ୟାଗ, ଏବଂ ସାର୍ବଭୌମିକ ଶିକ୍ଷାଗୁଡିକ ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା ।

ତାଙ୍କର ଶିକ୍ଷାଗୁଡିକ ମଧ୍ୟଯୁଗୀୟ ଚିନ୍ତାଧାରା ମଧ୍ୟରେ ତଲ୍ଲୀନ ଥିବା ତତ୍କାଳୀନ ଗୀର୍ଜାଘର ତଥା ରାଜନୈତିକ ରୁଚିବାଦର ମୁଷଳ ବିରୋଧକୁ ଉତ୍ତେଜିତ କରିଦେଲା । ତାଙ୍କର ପ୍ରଭାବକୁ ନିର୍ବାପିତ କରିବା ନିମନ୍ତେ ଇରାନର ସିୟା ଧର୍ମଗୋଷ୍ଠୀଙ୍କ ସହିତ ସେହି ଯୁଗର ଦୁଇଟି ଶକ୍ତିଶାଳୀ ରାଜ୍ୟ ଇରାନ୍ ଓ ଓଟୋମାନ୍‌ର ଶାସକ ନିଜର ସମସ୍ତ କ୍ଷମତାର ଉପଯୋଗ କରିଲେ । ବାହ’ଓଲ୍ଲହ ନିଜର ସମସ୍ତ ଧନ-ସମ୍ପତ୍ତିରୁ ବଞ୍ଚିତ ହେଲେ, ତାଙ୍କୁ ନିର୍ଯ୍ୟାତିତ କରାଗଲା, ମାଡ ଦିଆଗଲା, ଶୃଙ୍ଖଳବଦ୍ଧ ହେଲେ ଏବଂ ୧୮୯୨ ମସିହାରେ ଓଟୋମାନ୍ ସାମ୍ରାଜ୍ୟର ଏକର୍ ପେନଲ୍ କଲୋନିରେ (ଆଜିର ଯୁଗରେ ଇସ୍ରାଏଲ୍‌ର ଆକ୍କା) ସ୍ୱର୍ଗାରୋହଣ ପର୍ଯ୍ୟନ୍ତ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚାରିଥର ନିର୍ବାସିତ ହେଲେ ।

ନିଜର ଭୟାବହ ଯନ୍ତ୍ରଣା ସତ୍ତ୍ୱେ, ମାନବଜାତିର ମାର୍ଗଦର୍ଶନ ନିମନ୍ତେ ବାହ’ଓଲ୍ଲହ ଶହ ଶହ ପବିତ୍ର ପୁସ୍ତକ ପ୍ରକଟିତ କରି ନିଜ ଉଦ୍ଦେଶ୍ୟକୁ ଜାରି ରଖିଲେ । ତାଙ୍କର ଏହି ଶ୍ରେଷ୍ଠତାରେ ଅଟଳ ବିଶ୍ୱାସ ଥିଲା ଯେ ମାନବଜାତି ଉଚ୍ଚକୁ ଉଥିତ ହୋଇପାରିବ ଏବଂ କୌଣସି ଯନ୍ତ୍ରଣା ତଥା ତ୍ୟାଗ ବାହ’ଓଲ୍ଲହଙ୍କୁ ସେହି ରୁପାନ୍ତରୀକରଣର ବୀଜ ଗୁଡିକୁ ବୁଣିବାରେ ଅଟକାଇ ପାରିବ ନାହିଁ ଯାହା ମାନବଜାତିକୁ ଏହାର ପ୍ରକୃତ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ କରାଇବ । ତାଙ୍କ ଜୀବନ କାଳରେ ନିଜ ଶତ୍ରୁମାନଙ୍କ ବିରୋଧ ସତ୍ତ୍ୱେ ତାଙ୍କର ପ୍ରଭାବ ବୃଦ୍ଧି ପାଇଲା । ଯେଉଁସ୍ଥାନକୁ ତାଙ୍କୁ ନିର୍ବାସିତ କରାଗଲା, ତାଙ୍କର ଶିକ୍ଷାବଳୀ ଓ ପ୍ରେମ, ଶକ୍ତି ଓ ବ୍ୟକ୍ତିତ୍ତ୍ୱର ମହାନତା ହଜାର ହଜାର ସଂଖ୍ୟାରେ ଲୋକମାନଙ୍କୁ ଆକର୍ଷିତ କରିଲା । ଆଜି ତାଙ୍କର ଧର୍ମ ଷାଠିଏ ଲକ୍ଷରୁ ଅଧିକ ବିଶ୍ୱାସୀ ମାନଙ୍କ ସହିତ ବିଶ୍ୱର କୋଣ ଅନୁକୋଣରେ ବିସ୍ତାର ଲାଭ କରିଅଛି ଏବଂ ଆହୁରି ଲକ୍ଷ ଲକ୍ଷ ଲୋକ ବିଶ୍ୱର ଏକତା ନିର୍ମାଣ ଲାଗି ବାହ’ଓଲ୍ଲହଙ୍କ ଜୀବନୀ ଓ ବାଣୀ ଗୁଡିକରୁ ପ୍ରେରଣା ପ୍ରାପ୍ତ କରୁଅଛନ୍ତି ।

କେମ୍ରିଜ ପ୍ରାଚ୍ୟବିତ୍ ଏଡୱାର୍ଡ ଗ୍ରେନ୍‌ଭିଲ୍ ବ୍ରାଉନି ବାହ’ଓଲ୍ଲହଙ୍କୁ ତାଙ୍କ ସ୍ୱର୍ଗାରୋହଣର କିଛି କ୍ଷଣ ପୂର୍ବରୁ ସାକ୍ଷାତ କରିଥିଲେ । ଏହି ଗତିଶୀଳ ଲେଖନୀ ପ୍ରତିରୂପକୁ ଉତ୍ତରାଧିକାରୀ ମାନଙ୍କ ନିମନ୍ତେ ଛାଡିଅଛନ୍ତି: “ତାଙ୍କର ସେହି ଚେହେରା ଯାହାକୁ ମୁଁ ସ୍ଥିର ଚକ୍ଷୁରେ ଚାହିଁ ରହିଥିଲି, ଯଦିଓ ଏହାକୁ ବର୍ଣ୍ଣନା କରିପାରିବି ନାହିଁ, କେବେହେଲେ ଭୁଲିପାରିବି ନାହିଁ । ଭେଦ କରୁଥିବା ସେହି ଚକ୍ଷୁ ଦୁଇଟି ଜଣଙ୍କର ଆତ୍ମାକୁ ପଢିବା ପରି ପ୍ରତୀତ ହେଉଥିଲା; ଶକ୍ତି ଓ ଅଧିକାର ସେହି ବିଶାଳ ଭ୍ରୁଲତା ଉପରେ ବିରାଜମାନ ଥିଲା.... ଏହା ବ୍ୟକ୍ତ କରିବା ଅନାବଶ୍ୟକ ଯେ କାହାର ଉପସ୍ଥିତିରେ ମୁଁ ଦଣ୍ଡାୟମାନ ଥିଲି, କାରଣଁ ମୁଁ ସ୍ୱୟଂକୁ ତାଙ୍କ ସମ୍ମୁଖରେ ନତମସ୍ତକ କରିଥିଲି ଯେ ଭକ୍ତି ଓ ପ୍ରେମର କେନ୍ଦ୍ର ଅଟନ୍ତି ଏବଂ ଯାହାଙ୍କୁ ଶାସକଗଣ ଇର୍ଷା କରିପାରନ୍ତି ଓ ସମ୍ରାଟମାନେ ବୃଥାରେ ଦୀର୍ଘ ଶ୍ୱାସ ନେଇପାରନ୍ତି ।”

Exploring this topic:

The Life of Bahá’u’lláh

The Early Bahá’í Community

The Shrine of Bahá’u’lláh

Quotations

Articles and Resources

Scroll Up