“ଯୁବାବସ୍ଥା ଶକ୍ତି ଓ ଦିପ୍ତୀ ଦ୍ୱାରା ବିଶିଷ୍ଟ ଅଟେ ଏବଂ ମାନବ ଜୀବନର ଏକ ବିଶେଷ ଅବଧି ରୂପରେ ଦୃଶ୍ୟମାନ ହୋଇଥାଏ । ସେଥିପାଇଁ ତୁମ୍ଭେ ଦିନ ରାତି ପ୍ରଯତ୍ନ କରିବା ଉଚିତ୍‌, ଯଦ୍ଦ୍ୱାରା ସ୍ୱର୍ଗୀୟ ଶକ୍ତିରେ ବିଭୂଷିତ ହୋଇ, ଦେଦୀପ୍ୟମାନ ଉଦ୍ଦେଶ୍ୟ ଦ୍ୱାରା ପ୍ରେରିତ ହୋଇ, ଏବଂ ଈଶ୍ୱରଙ୍କ ଦିବ୍ୟ ଶକ୍ତି ତଥା ଦିବ୍ୟ କୃପା ଓ ସୁନିଶ୍ଚିତତା ସହାୟତା ପ୍ରାପ୍ତ ହୋଇ....”



ଆବ୍‌ଦୋଲ-ବାହ୍

ବାହ’ଈ ସମୁଦାୟ ବ୍ୟକ୍ତିର ଜୀବନରେ ଯୁବାବସ୍ଥାର ଅବଧିକୁ ସ୍ୱତନ୍ତ୍ର ଅବଧି ଭାବରେ ଚିହ୍ନିତ କରିଥାଏ, ଯାହା ଅନ୍ତର୍ନିହିତ ଭାବରେ ମନୁଷ୍ୟ ଜୀବନର ବସନ୍ତକାଳ ଅଟେ । ଯଦି ଜୀବନର ଏହି ଅବଧିରେ, ତରୁଣ ଯୁବାମାନଙ୍କର ବୃଦ୍ଧି ପାଉଥିବା ବୌଦ୍ଧିକ, ଆଧ୍ୟାତ୍ମିକ ଓ ଶାରୀରିକ କ୍ଷମତାଗୁଡିକ ସାମାଜିକ ରୁପାନ୍ତରୀକରଣ ଆଡକୁ ନିର୍ଦ୍ଦେଶିତ କରାଯାଏ, ତେବେ ଉଭୟ ସମୁଦାୟ ଓ ଯୁବା ନିଜର ପ୍ରକୃତ ଅନ୍ତର୍ନିହିତ କ୍ଷମତାକୁ ହୃଦୟଙ୍ଗମ କରିପାରିବେ । ୧୧ରୁ ୧୪ ବର୍ଷ ବୟସ ଯାହା ତୀବ୍ର ପରିବର୍ତ୍ତନର ସମୟ ହୋଇଥାଏ, ଯେତେବେଳେ କିଶୋର / କିଶୋରୀମାନେ ବାଲ୍ୟାବସ୍ଥାକୁ ପଛରେ ପକାଇ ପରିପକ୍ୱତା ଆଡକୁ ଅଗ୍ରସର ହୁଅନ୍ତି, ଠିକ୍ ଏହି ଅବଧିରେ ଏକ ବିଶେଷ ପ୍ରକାରର ପ୍ରସ୍ତୁତୀକରଣର ଆବଶ୍ୟକତା ହୋଇଥାଏ । ଏହି ତରୁଣ ଯୁବାମାନେ ଯାହାଙ୍କୁ କିଶୋର / କିଶୋରୀ ଭାବରେ ନାମିତ କରାଯାଇଅଛି, ଜୀବନର ଏହି ଅବଧିରେ ସେମାନଙ୍କ ପାଖରେ ଅନେକ ନୂତନ ପ୍ରଶ୍ନ ଓ ଅଭିଳାଷ ରହିଥାଏ । ଅଧିାକଂଶ ସମୟରେ ଏହି ଆୟୁବର୍ଗକୁ ସମସ୍ୟା ଉତ୍ପନ୍ନକାରୀ ଭାବରେ ଦର୍ଶାଯାଉଥିବା ତଥା ଏହାକୁ ନକାରାତ୍ମକ ଶବ୍ଦରେ ବ୍ୟାଖ୍ୟା କରାଯାଉଥିବା ବେଳେ, କିଶୋର କାର୍ଯ୍ୟକ୍ରମର ନିର୍ମାଣ ଏହି ଆୟୁବର୍ଗର ନିଃସ୍ୱାର୍ଥପରତା, ବିଶ୍ୱ ବ୍ରହ୍ମାଣ୍ଡ ବିଷୟରେ ଜ୍ଞାନ ହାସଲ କରିବାର ଆଗ୍ରହ, ନ୍ୟାୟର ଏକ ଶକ୍ତିଶାଳୀ ଭାବନା ଓ ବିଶ୍ୱର ଉତ୍ଥାନ ନିମନ୍ତେ କାର୍ଯ୍ୟ କରିବାର ଉତ୍ସାହ ଭଳି ଅନ୍ତର୍ନିହିତ କ୍ଷମତାର ବୋଧଗମ୍ୟତା ଆଧାରରେ କରାଯାଇଅଛି । ଏହି ଆହ୍ୱାନପୂର୍ଣ୍ଣ ତଥା ସମ୍ଭାବନାପୂର୍ଣ୍ଣ ଅବଧିକୁ ଉଚିତ୍ ଦିଗ ଦେବା ନିମନ୍ତେ, ଏହି ଦଳର ସହାୟତା କରିବା ନିମନ୍ତେ, ବାହ’ଈ ସମୁଦାୟ ଦ୍ୱାରା ସମଗ୍ର ବିଶ୍ୱରେ ଏକ କିଶୋର/ କିଶୋରୀ ଆଧ୍ୟାତ୍ମିକ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଦାନ କରାଯାଉଅଛି ।

ଏହି କାର୍ଯ୍ୟକ୍ରମର ଅଂଶଭାବରେ ୧୫ ବର୍ଷ ଅଥବା ତଦୁର୍ଦ୍ଧ୍ୱ ବୟସ୍କ ଯୁବାମାନେ ‘ଅନୁପ୍ରେରକ’ ରୂପରେ ସେବା ପ୍ରଦାନ କରିବା ନିମନ୍ତେ ତାଲିମ୍ ପ୍ରାପ୍ତ କରନ୍ତି । ଅନୁପ୍ରେରକମାନେ ନିଜ ବସତିରେ ଛୋଟ ଛୋଟ କିଶୋର / କିଶୋରୀ ଦଳଗୁଡିକ ସହିତ ସାଥେ ସାଥେ ଚାଲନ୍ତି । ନିଜ ନିଜର ଅନୁପ୍ରେରକ ମାନଙ୍କ ସହାୟତାରେ, ଏହି କିଶୋର / କିଶୋରୀମାନେ ନିଜ ମସ୍ତିଷ୍କରେ ଥିବା ଗଭୀର ପ୍ରଶ୍ନ ଗୁଡିକୁ ଖୋଜି ବାହାର କରନ୍ତି । ସେମାନେ ଏପରି ପୁସ୍ତକ ଗୁଡିକର ଅଧ୍ୟୟନ କରନ୍ତି ଯାହା ଆଧ୍ୟାତ୍ମିକ ବୋଧର ବିକାଶ ତଥା ନିର୍ଣ୍ଣୟ ନେବା ନିମନ୍ତେ ଏକ ନୈତିକ ଢାଞ୍ଚାର ବିକାଶରେ ସେମାନଙ୍କୁ ସହାୟତା କରିଥାଏ । ପୁସ୍ତକ ଗୁଡିକ ମଧ୍ୟ ସେମାନଙ୍କୁ ଅଭିବ୍ୟକ୍ତିର ଶକ୍ତିକୁ ସକାରାତ୍ମକ ରୂପରେ ବିକଶିତ କରିବାରେ ସହାୟତା କରିଥାଏ ଏବଂ ନିଜର ଅସୀମ ଉର୍ଜାକୁ ବସତିର ସେବା ଆଡକୁ ନିର୍ଦ୍ଦେଶିତ କରିବାରେ ସେମାନଙ୍କୁ ସକ୍ଷମ କରାଇଥାଏ । ଏହି କାର୍ଯ୍ୟକ୍ରମ ସେମାନଙ୍କୁ ବାସ୍ତବିକତାର ଏପରି ଅନ୍ୱେଷଣରେ ସାମିଲ୍ କରିଥାଏ ଯେଉଁଠି ସମାଜରେ ପ୍ରଚଳିତ ନିର୍ମାଣାତ୍ମକ ଓ ଧ୍ୱଂସାତ୍ମକ ବଳ ଗୁଡିକର ବିଶ୍ଲେଷଣ କରିବାରେ ସେମାନଙ୍କୁ ସହାୟତା ପ୍ରାପ୍ତ ହୁଏ । ସକାରାତ୍ମକ ପରିବର୍ତ୍ତନ ଆଣିବାର ପ୍ରୟାସ ସହିତ ସ୍ୱୟଂକୁ ସାମିଲ୍ କରିବା ସମୟରେ, ଏହି କାର୍ଯ୍ୟକ୍ରମ ସେମାନଙ୍କୁ ସେହି ବଳ ଗୁଡିକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ ଯାହା ଏକ ଶ୍ରେଷ୍ଠ ମନୁଷ୍ୟ ଭାବରେ ସେମାନଙ୍କର ବାସ୍ତବ ପରିଚୟକୁ ଅପହରଣ କରିନେବ । ଭାରତରେ, ହଜାର ହଜାର ତରୁଣ ଯୁବା ଯେଉଁମାନେ ନିଜ ଅତିରିକ୍ତ ସମୟରେ ସ୍ୱଇଚ୍ଛାର ସହିତ ଅନୁପ୍ରେରକ ଭାବରେ ସେବା ପ୍ରଦାନ କରୁଛନ୍ତି, ସେମାନଙ୍କ ସହାୟତାରେ ଅଧୁନା ହଜାର ହଜାର କିଶୋର / କିଶୋରୀମାନେ ଏପରି ଦଳ ଗୁଡିକରେ ଅଂଶଗ୍ରହଣ କରୁଅଛନ୍ତି ।