ବାହ’ଈ ଧର୍ମ ଦୁଇଜଣ ଦିବ୍ୟ ଅବତାର- ମହାତ୍ମା ବାବ୍ ଓ ବାହ’ଓଲ୍ଲହଙ୍କ ଉପରେ ଈଶ୍ୱରଙ୍କ ଦ୍ୱାରା ନ୍ୟସ୍ତ କରାଯାଇଥିବା ଲକ୍ଷ୍ୟ ସହିତ ଆରମ୍ଭ ହୋଇଥିଲା । ଆଜି ଧର୍ମର ଯେଉଁ ବିଶେଷ ଏକତାକୁ ସେମାନେ ସ୍ଥାପିତ କରିଛନ୍ତି ତାହା ବାହ’ଓଲ୍ଲହଙ୍କ ପ୍ରଦତ୍ତ ସ୍ପଷ୍ଟ ନିର୍ଦ୍ଦେଶ ଗୁଡିକରୁ ହିଁ ଆସିଅଛି ଯାହା ବାହ’ଓଲ୍ଲହଙ୍କ ସ୍ୱର୍ଗାରୋହଣ ପରେ ମଧ୍ୟ ମାର୍ଗଦର୍ଶନର ନିରନ୍ତରତାକୁ ଆଶ୍ୱସ୍ତ କରିଥାଏ । ଉତ୍ତରାଧିକାରର ଏହି ଧାରା ଯାହା ଚୁକ୍ତି ନାମରେ ଉଲ୍ଲେଖି ହୋଇଅଛି, ତାହା ବାହ’ଓଲ୍ଲହଙ୍କଠାରୁ ତାଙ୍କର ପୁତ୍ର ଆବ୍ଦୋଲବାହ ତାଙ୍କର ନାତି ଶୋଘିଏଫେଣ୍ଡି ଏବଂ ବାହ’ଓଲ୍ଲହଙ୍କ ଦ୍ୱାରା ନିର୍ଦ୍ଧାରିତ ବିଶ୍ୱ ନ୍ୟାୟ ମନ୍ଦିରଙ୍କ ପାଖକୁ ପହଁଞ୍ଚିଅଛି । ଜଣେ ବାହ’ଈ ବା’ବ୍, ବାହ’ଓଲ୍ଲହ ଏବଂ ଏହି ନିଯୁକ୍ତିପ୍ରାପ୍ତ ଉତ୍ତରାଧିକାରୀ ମାନଙ୍କର ଈଶ୍ୱରୀୟ ଅଧିକାରକୁ ସ୍ୱୀକାର କରିଥାଏ ।

ମହାତ୍ମା ବାବ୍
ମହାତ୍ମା ବାବ୍ ବାହ’ଈ ଧର୍ମର ଅଗ୍ରଦୁତ ଅଟନ୍ତି । ୧୯ଶହ ଶତାବ୍ଦୀର ମଧ୍ୟ ଭାଗରେ, ସେ ଉଦଘୋଷଣା କଲେ ଯେ ସେ ଏକ ଏପରି ସନ୍ଦେଶର ବାହକ ଅଟନ୍ତି ଯାହା ମାନବଜାତିର ଆଧ୍ୟାତ୍ମିକ ଜୀବନକୁ ରୁପାନ୍ତରିତ କରିବା ପାଇଁ ନିର୍ଦ୍ଧାରିତ । ତାଙ୍କର ଉଦ୍ଦେଶ୍ୟ ଅନ୍ୟ ଜଣେ ଈଶ୍ୱରୀୟ ଅବତାରଙ୍କ ଆଗମନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିବାର ଥିଲା, ଯେ କି ତାଙ୍କ ଠାରୁ ମହାନ୍ ଅଟନ୍ତି, ଯେ କି ଏକ ଶାନ୍ତି ଓ ନ୍ୟାୟପୁର୍ଣ୍ଣ ଯୁଗର ପ୍ରତିଷ୍ଠା କରିବେ ।

ବାହ’ଓଲ୍ଲହ
ବାହ’ଓଲ୍ଲହ ଯାହାଙ୍କର ତାତ୍ପର୍ଯ୍ୟ ଈଶ୍ୱରଙ୍କ ପ୍ରକାଶ ଅଟେ, ସେ ସେହି ପ୍ରତିଶ୍ରୁତ ଅବତାର ଯାହା ବିଷୟରେ ମହାତ୍ମା ବାବ୍ ଓ ଅତୀତର ଅନ୍ୟ ସମସ୍ତ ଦିବ୍ୟ ଅବତାରଗଣ ଭବିଷ୍ୟତବାଣୀ କରିଥିଲେ । ବାହ’ଓଲ୍ଲହ ମାନବଜାତି ନିମନ୍ତେ ଈଶ୍ୱରଙ୍କ ପାଖରୁ ଏକ ନୁତନ ପ୍ରକଟିକରଣ ଆଣିଥିଲେ । ହଜାର ହଜାର ବାଣୀ , ପତ୍ର ଏବଂ ପୁସ୍ତକ ଗୁଡିକ ତାଙ୍କ ଲେଖନୀରୁ ନିର୍ଝର ହୋଇଥିଲା । ତାଙ୍କର ଲେଖାବଳୀ ଗୁଡିକରେ, ସେ ଏକ ଏପରି ବିଶ୍ୱ ସଭ୍ୟତାର ବିକାଶର ଢାଞ୍ଚାକୁ ଚିହ୍ନିତ କରିଥିଲେ ଯାହା ମାନବ ଜୀବନର ଉଭୟ ଆଧ୍ୟାତ୍ମିକ ଓ ଭୌତିକ ପକ୍ଷକୁ ସାମିଲ୍ କରିଥାଏ । ଏଥି ନିମନ୍ତେ ତାଙ୍କୁ ୪୦ ବର୍ଷର କାରାଦଣ୍ଡ, ନିର୍ଯାତନା ଏବଂ ନିର୍ବାସନ ସହ୍ୟ କରିବାକୁ ପଡିଥିଲା ।

ଆବ୍ଦୋଲ୍-ବାହ
ନିଜର ଇଚ୍ଛାପତ୍ରରେ, ବାହ’ଓଲ୍ଲହ ନିଜର ଜ୍ୟେଷ୍ଠ ପୁତ୍ର ଆବଦୋଲ-ବାହ’ଙ୍କୁ ନିଜ ଶିକ୍ଷାବଳୀର ପ୍ରାଧିକୃତ ବ୍ୟାଖ୍ୟାକାର ରୁପରେ ତଥା ଧର୍ମର ମୁଖ୍ୟ ହିସାବରେ ନିଯୁକ୍ତ କରିଲେ । ସମଗ୍ର ପୂର୍ବ ଏବଂ ପଶ୍ଚିମରେ ଆବଦୋଲ-ବାହ ଶାନ୍ତିର ରାଷ୍ଟ୍ରଦୂତ ଭାବରେ, ଏକ ଉଦାହରଣକାରୀ ମନୁଷ୍ୟ ଭାବରେ ତଥା ଏକ ନୂତନ ଧର୍ମର ପ୍ରମୁଖ ପ୍ରବର୍ତ୍ତକ ରୁପରେ ଜଣାଶୁଣା ହୋଇଗଲେ ।

ଶୋଘି ଏଫେଣ୍ଡି
ଆବ୍ଦୋଲବାହଙ୍କ ଦ୍ୱାରା ବାହ’ଈ ଧର୍ମର ଅଭିଭାବକ ଭାବରେ ନିଯୁକ୍ତି ପ୍ରାପ୍ତ କରିଥିବା ଶୋଘିଏଫେଣ୍ଡି ଆବଦୋଲବାହଙ୍କ ଜ୍ୟେଷ୍ଠ ନାତି, ବ୍ୟବସ୍ଥିତ ଭାବରେ ଧର୍ମର ବିକାଶର ଭରଣ ପୋଷଣ କରିବାରେ, ବୋଧଗମ୍ୟତାକୁ ଦୃଢ କରିବାରେ ଏବଂ ବାହ’ଈ ଜଗତର ଏକତାକୁ ଦୃଢ କରିବାରେ ୩୬ ବର୍ଷ ବିତାଇଥିଲେ, ଯେହେତୁ ଏହା ସମ୍ପୂର୍ଣ୍ଣ ମାନବଜାତିର ବିବିଧତାକୁ ବର୍ଦ୍ଧିତ ଭାବରେ ଦର୍ଶାଉଥିଲା ।

ବିଶ୍ୱନ୍ୟାୟ ମନ୍ଦିର
ଆଜି ସମଗ୍ର ବିଶ୍ୱରେ ବାହ’ଈ ଧର୍ମର ବିକାଶ ବିଶ୍ୱ ନ୍ୟାୟ ମନ୍ଦିରଙ୍କ ମାର୍ଗଦର୍ଶନରେ ଚାଲୁଅଛି । ନିଜର ବିଧାନମାଳା ପୁସ୍ତକରେ, ବାହ’ଓଲ୍ଲହ ବିଶ୍ୱ ନ୍ୟାୟ ମନ୍ଦିରକୁ ମାନବଜାତିର କଲ୍ୟାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ, ଶିକ୍ଷା, ଶାନ୍ତି ତଥା ବିଶ୍ୱର ସମୃଦ୍ଧିକୁ ଉନ୍ନତ କରାଇବାକୁ ଏବଂ ମାନବ ସମ୍ମାନ ଓ ଧର୍ମର ସ୍ଥିତିକୁ ସୁରକ୍ଷା ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଅଛନ୍ତି ।